କଥା କୁହା ଠାକୁର ଶ୍ରୀ ଜଗନ୍ନାଥ

ଜୁଲାଇ ମାସ ର ଶେଷ ଶନିବାର। ତର ତର ହୋଇ ସନ୍ଧ୍ୟା ୬:୩୦ ମିନିଟ ରେ ମନ୍ଦିର ରେ ପହଞ୍ଚିଲି। ସାଙ୍ଗରେ ନେଇ ଥିବା ଫୁଲ ଏବଂ ତୁଳସୀ   ଚାଙ୍ଗୁଡ଼ି ଟିକୁ ମନ୍ଦିର ଦୁଆର ମୁହଁରେ ଥିବା ଗୋଟିଏ ଟେବଲ ଉପରେ ରଖିଦେଇ ପାଣି ନଳ ପାଖରେ ଗୋଡ଼ ଧୋଉ ଥାଏ। ଠିକ୍ ଏତିକି ବେଳେ ଜଗନ୍ନାଥ ପ୍ରବନ୍ଧକ କମିଟି ର ସଭାପତି ଆସି ମୋତେ କହିଲେ, ” ସାମଲ ବାବୁ ଆଜି ଅମ୍ବିକା ପ୍ରସାଦ ବାବୁ( ନାମ ଗୋପନ ରଖାଯାଇଛି) ଏବଂ Mrs ଛୋଟରାୟ ଆପଣଙ୍କ ବିରୋଧ ରେ ଅଭିଯୋଗ କରୁଥିଲେ। ସେମାନେ କହୁଥିଲେ ସାମଲ ବାବୁ କାହିଁକି ଜଗନ୍ନାଥଙ୍କୁ ଛୁଁ ଛନ୍ତି।”  ହଠାତ୍ କିଛି ବୁଝି ପାରିଲି ନାହିଁ। ମୁଁ ଏମାନଙ୍କର କଣ ଖରାପ କରିଛି। ଅମ୍ବିକା ପ୍ରସାଦ ବାବୁ, ତାଙ୍କର ଝିଅର ବାହାଘର ଡେରି ହୋଇଯିବାରୁ ସ୍ଵାମୀ ସ୍ତ୍ରୀ ଦୁଇଜଣ କେତେ ଦୁଃଖୀ ଥିଲେ । ତାଙ୍କ ପାଇଁ କେତେଥର ଠାକୁରଙ୍କ ପାଖରେ ଗୁହାରି କରିଛି। କେବେ ତ ତାଙ୍କର ଅମଙ୍ଗଳ ଚିନ୍ତା କରି ନାହିଁ। ଆଉ Mrs ଛୋଟରାୟ ତାଙ୍କ ପାଇଁ ଯାହା କରିଛି ହୁଏ ତ କେହି କାହାପାଇଁ କରିବେ ନାହିଁ। (Rathayatra Japan ର ବିଗତ ବର୍ଷ ର ଏଡିସନ ରେ ତାହା ପ୍ରକାଶିତ ହୋଇ ଅଛି।) ଏମାନେ ପୁଣି ମୋ ବିରୁଦ୍ଧରେ କାହିଁକି ??.

ସତରେ ବିଚିତ୍ର ଏ ଦୁନିଆରେ ରୀତି। ନିଜର ଭାବି, ନିଷ୍କପଟ ହୋଇ ଆମେ ଯାହାର ମଙ୍ଗଳ ଚିନ୍ତା କରନ୍ତି ବା ଉପକାର କରନ୍ତି, ସେଇମାନେ ହିଁ ସର୍ବ ପ୍ରଥମେ ଆମର ବିରୋଧ କରିଥାଆନ୍ତି……।

ରଥଯାତ୍ରା ତ ଖୁବ ଭଲରେ ହୋଇଗଲା। ଆଡ଼ପ ମଣ୍ଡପରେ ସବୁ ବର୍ଷ ପରି  ଏଥର ଠାକୁରଙ୍କୁ  ଖୁବ୍ ମନ ଧ୍ୟାନରେ ସଜେଇ ଥିଲି। ଭକ୍ତମାନେ ପ୍ରଭୁଙ୍କ ମନଲୋଭା ସୁନ୍ଦର ରୂପକୁ ଦେଖି ଖୁବ୍ ଖୁସି ହେଉଥିଲେ। କାହିଁକି କେଜାଣି ମୋର ଅନିଚ୍ଛା ସତ୍ତ୍ବେ ବି ମୋର ପ୍ରଶଂସା କରୁଥିଲେ। ଏ କଣ ସେଇଥି ପାଇଁ ?? ଏମିତି କେତେ ପ୍ରଶ୍ନ ମନଟାକୁ  ଘାଣ୍ଟି ପକାଉ ଥିଲା। ହେଲେ ମନ୍ଦିର ଭିତରକୁ ପ୍ରବେଶ ମାତ୍ରେ ଚକା ଆଖି କୁ ଦେଖି ସବୁ ଭୁଲି ଗଲି। ପୂଜା ସରିଗଲା ପରେ ଠାକୁରଙ୍କୁ ଗୀତଗୋବିନ୍ଦ ଶୁଣାଇ ଆଉଁସି ଦେଇ ଶୁଆଇ ଦେଲି। ତା ପରେ ପ୍ରସାଦ ସେବନ କରି ଘରକୁ ଫେରିଲି।

ଆସନ୍ତା ଶନିବାର ପୁଣି ଫୁଲ ତୁଳସୀ ଧରି ମନ୍ଦିରରେ ପହଞ୍ଚିଲି।ଠିକ୍  ଗୋଡ଼ ଧୋଉଥିବା ବେଳେ, ପୂର୍ବ ପରି ସଭାପତି ଆସି କହିଲେ, ” ସାମଲ ବାବୁ ଆଜି ତ ସେ ଦୁଇଜଣ ସବୁ ସୀମା ଲଂଘି ଗଲେ। Mrs ଛୋଟରାୟ ତ ଏମିତି କହିଲେ ଯେ ” ସାମଲ ଶୁଦ୍ର  ହୋଇ ଠାକୁରଙ୍କୁ କାହିଁକି ଛୁଇଁବ।””

ମନ ଟା ଟିକିଏ ଭାରି ଲାଗିଲା। ତାଙ୍କୁ କିଛି କହିଲି ନାହିଁ। ସବୁ ଥର ପରି ପୂଜା ଆଳତି ସରିଗଲା ସମସ୍ତେ ଭୋଗ ଥାଳି ଧରି ଆନନ୍ଦ ବାଜର କୁ ଚାଲିଗଲେ। ରତ୍ନ ସିଂହାସନ ପୋଛା ସରିଗଲା। ମନ୍ଦିର ଭିତରେ ମୋ ଛଡା ଆଉ ଜଣେ ସ୍ତ୍ରୀ ଲୋକ Mrs  Behera ଥାଆନ୍ତି। ମନକୁ କଣ ଆସିଲା କେଜାଣି ଜଗନ୍ନାଥଙ୍କ ସମ୍ମୁଖରେ ଆଣ୍ଠେଇ ପଡ଼ିଲ। ଅଭିମାନ ଭରା ସ୍ୱର ରେ କହିଲି,

” ପ୍ରଭୁ ଏ ଡ୍ରାମା କାହିଁକି? ଯଦି ମୋର ସେବା ତମକୁ ପସନ୍ଦ ନୁହେଁ, ତା ହେଲେ ତମେ ମତେ କହି ପାରି ଥାଆନ୍ତ ,  ସିଧା  ନ କହି ପାରିଲେ ଯଦି ଥରେ ସ୍ବପ୍ନ ରେ କହି ଥାଆନ୍ତ ତା ହେଲେ ମୁଁ ତମର ସେବା ବନ୍ଦ କରି ଦେଇ ଥାନ୍ତି।ନିଜେ ନ କହି ଏମାଙ୍କ ଦ୍ଵାରା କହୁଛ କାହିଁକି। ତାହା ପୁଣି ବିରୋଧାଭାସ ରେ। ମୁଁ ଆଉ କିଛି କହିବା ପୂର୍ବରୁ  ହଠାତ ଗୋଟିଏ ସୁମଧୁର କୋମଳ ସ୍ୱର ଭାସି ଆସି ମୋ କାନରେ ପଡ଼ିଲା। ସ୍ୱର ଟି ଥିଲା,           “‘ ଦେଖିଲୁ ତ ?””. 

ମୁଁ ଚମକି ପଡ଼ିଲି, ଏଣେ ତେଣେ ଦେଖିଲି ଭିତରେ ଆଉ କେହି ନାହାଁନ୍ତି। Mrs ବେହେରା ପ୍ରାୟ ୨୦ ଫୁଟ ଦୂରରେ  ଝାଡୁ କରୁଛନ୍ତି । ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ପ୍ରଭୁଙ୍କ ମୁହଁକୁ ଚାହିଁଲି। ପୁଣି ଥରେ ପ୍ରଭୁ କହିଲେ,.        “‘ ଦେଖିଲୁ ତ ?”” ମୁଁ ଏବେ ବେଶ୍ ବୁଝିପାରିଲି ପ୍ରଭୁ କଣ କହୁଛନ୍ତି। ପ୍ରଭୁ କହୁଥିଲେ,  ଯାହାର ଦୁଃଖ ଦୂର ନ କଲେ ତୁ ମୋ ପାଖକୁ ନ ଆସିବାକୁ ଜିଦି କରି ଥିଲୁ, ଯାହାର ଦୁଃଖ ଦୂର କରିବାକୁ ମତେ ବାଧ୍ୟ କରାଇଲୁ ସେଇମାନେ ଆଜି ତୋତେ ମୋ ଠାରୁ ଦୁରେଇବାକୁ ଚାହୁଁଛନ୍ତି।

ମୁଁ କହିଲି “ହଁ ପ୍ରଭୁ ଦେଖିଲି”। ମୁଁ ଆଉ କିଛି କହିବା ପୂର୍ବରୁ ପ୍ରଭୁ କହିଲେ, “” ଆରେ ତୁ ତ ମୋ ସେବା କରୁଛୁ, ସେ ବି ବିନା କିଛି ସ୍ବାର୍ଥ ରେ। ଏମାନେ ତୋତେ କଣ ବିରୋଧ କରୁଛନ୍ତି, ଏମାନେ ତ ମୋ କାମରେ ବାଧା ଦେଉଛନ୍ତି।”” 

ମୁଁ କହିଲି , ” ପ୍ରଭୁ ଦେବ କାର୍ଯ୍ୟ ରେ ବିରୋଧ। ଏ ତ ବଡ଼ ଅପରାଧ। ଏମାନେ ତ ଦଣ୍ଡ ପାଇବେ। ହେଲେ ପ୍ରଭୁ ଏମାନେ ତ ମୋ ନିଜର। ଏମାନେ ଦଣ୍ଡ ପାଇଲେ ମୁଁ ଦୁଃଖୀ ହେବି। ଏମାନଙ୍କୁ କ୍ଷମା କରିଦିଅ ପ୍ରଭୁ।”

ପ୍ରଭୁ  କହିଲେ “” କର୍ମ କରିଣ ଫଳ ଥାଇ….”  ପ୍ରଭୁ ଆଉ କଣ କହି ଥାନ୍ତେ କେଜାଣି , ମୁଁ କହି ବସିଲି ” ପ୍ରଭୁ ଯଦି ତମେ ମୋ ସେବା ରେ ଟିକିଏ ଖୁସି ଥାଅ, ତା ହେଲେ ଏମାନଙ୍କ ଦଣ୍ଡ ର ମାତ୍ରା କମ୍ କରିଦିଅ। ବାସ ମୁଁ ଏତିକି କହିଛି ଠିକ୍ ଏତିକି ବେଳେ ମୋ ଆଖି ଆଗରେ ଗୋଟିଏ ଚିତ୍ର ଆସିଗଲା। ଯେମିତି କୌଣସି ଫିଲ୍ମ ର ଆରମ୍ଭ ବେଳେ ପରଦା ଉପରେ କିଛି ଚିତ୍ର ବିନା ସାଉଣ୍ଡ ରେ ଆସି ଯାଇଥାଏ, ଠିକ୍ ସେହିପରି। ଚିତ୍ରଟି ଥିଲା ଗୋଟିଏ ଲୋକର ଡିଫେନ୍ସ ରେ ପ୍ରମୋସନ୍ ରେ rank ଲଗାଇବାର ଦୃଶ୍ୟ । ମୁଁ ଜାଣି ପାରିଲି ଯେ ଅମ୍ବିକା ପ୍ରସାଦ ବାବୁ ଯିଏ ଅଗଷ୍ଟ ୧୫ ରେ ପ୍ରମୋସନ ପାଇବା କଥା ସିଏ ପାଇବେ ନାହିଁ। ମୁଁ କହିଲି “ଠିକ୍ ଅଛି ପ୍ରଭୁ”। ତା ପରେ ଆଉ ଗୋଟିଏ ଚିତ୍ର ଆସିଲା। ଏ ଚିତ୍ର ଟି Mrs ଛୋଟରାୟ ଙ୍କର ଥିଲା।ଯେମିତି ଆମେ କୌଣସି ଫଟୋ ଷ୍ଟୁଡିଓ ରେ ପାସ ପୋର୍ଟ ସାଇଜର ଫଟୋ ଉଠାଇଲା ବେଳେ ଫଟୋଗ୍ରାଫର ଆମକୁ କେମେରା ରେ ଚିତ୍ରଟି ଦେଖାଇ ଥାଏ ଠିକ୍ ସେହପରି। ବଳିଷ୍ଠ ଶରୀର, ବଳିଷ୍ଠ ବହୁ ଦୁଇଟି ଏବଂ ବଳିଷ୍ଠ ବକ୍ଷସ୍ଥଳ। ମୁଁ କିଛି ବୁଝି ପାରିଲି ନାହିଁ। ଫଟୋ ଟି ଚାଲି ଗଲା। ପ୍ରାୟ ୨-୩ ସେକେଣ୍ଡ ପରେ ପୁଣିଥରେ ସେହି ଫଟୋଟି ମୋ ଆଖି ଆଗକୁ ଆସିଗଲା। ତଥାପି ମୁଁ କିଛି ବୁଝି ପାରିଲି ନାହିଁ।  ଭାବିଲି ବଧହୁଏ ଏ ସ୍ତ୍ରୀ ଲୋକ ର ବେଶି ଦୋଷ ନାହିଁ। କାହା କଥାରେ ପଡ଼ି ଏମିତି କହିଛି। ହୁଏତ ଟିକିଏ ଶାରୀରିକ କଷ୍ଟ ପାଇବ। ବଡ଼ ତୃପ୍ତି ଲାଗୁଥିଲା କାରଣ ଦୁଇଜଣଙ୍କୁ ବହୁତ୍ ବଡ଼ ବିପଦରୁ ବଞ୍ଚେଇ ଦେଲି। ନ ହେଲେ କଣ ଯେ ହୋଇଥାନ୍ତା। ପ୍ରଭୁଙ୍କୁ ଅଶେଷ ଧନ୍ୟବାଦ୍ ଦେଇ ପ୍ରଣାମ କଲି। ଗୀତଗୋବିନ୍ଦ ଶୁଣାଇ ଆଉଁସି ଦେଲି। ପ୍ରଭୁ ସୋଇ ପଡ଼ିଲେ। ମୁଁ ଘରକୁ ଆସିଲି।

ମନ କଥା ମନରେ ଥାଏ। ଅଗଷ୍ଟ ୧୩ ତାରିଖ ରେ ମୁଁ ଅମ୍ବିକା ପ୍ରସାଦ ବାବୁଙ୍କୁ ଟେଲିଫୋନ ରେ ପ୍ରମୋଶନ କଥା ପଚାରିଲି। ସେ କହିଲେ “ନାଇଁ ସାମଲ ବାବୁ ଆସିଲା ନାହିଁ”। ମନେ ମନେ ପ୍ରଭୁଙ୍କୁ ଜୁହାର ହେଲି। Mrs ଛୋଟରାୟଙ୍କ ବିଷୟରେ କିଛି ଧାରଣା ନ ଥିଲା। ପ୍ରାୟ ୧୦ ଦିନ ପରେ ଶୁଣିଲି, ସେ ସ୍କୁଟର୍ ରୁ ପଡିଗଲେ ଏବଂ ତାଙ୍କର ଗୋଟିଏ ହାତ ଭାଙ୍ଗିଗଲା ବହୁତ୍ କଷ୍ଟ ପାଇଲେ।

ସେହିଦିନ ମୁଁ ଜାଣିଲି ଯେ ସେଇଥି ପାଇଁ ତାଙ୍କର ବଳିଷ୍ଠ ହାତ ଦୁଇଟି ମତେ ବାରମ୍ବାର ଦେଖାଯାଉଥିଲା। ମୁଁ ସପତ୍ନିକ ତାଙ୍କ ଘରକୁ ଯାଇ ତାଙ୍କୁ ସମବେଦନା ଜଣାଇଲି। ଏହା ଭିତରେ ୮-୧୦ ବର୍ଷ ବିତିଗଲାଣି।  ଏକଥା ମୁଁ କାହାରିକୁ କହି ନାହିଁ।

ଏମାନଙ୍କର କିଛି ବି କଷ୍ଟ ମୁଁ ଚାହୁଁ ନ ଥିଲି। ହେଲେ ତାଙ୍କର କର୍ମ ଫଳରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚାଇବା ମୋ ପକ୍ଷରେ ସମ୍ଭବ ନ ଥିଲା।

ପ୍ରଭୁଙ୍କ ସହ କଥା ହେବାର ଏହା ଥିଲା ମୋ ଜୀବନର ପ୍ରଥମ ଅନୁଭୁତି। ଏହାପରେ କେତେ ଥର ପ୍ରଭୁଙ୍କ ସହ କଥା ହୋଇଛି।

ମୁଁ ଜାଣେ ଏ ଭଳି  ଅଲୌକିକ, ଅଦ୍ଭୁତ, ଅକଳ୍ପନୀୟ, ଅବିଶ୍ୱନୀୟ ଏବଂ ଅବିସ୍ମରଣୀୟ ଅନୁଭୁତି ହିଁ କେବଳ ପ୍ରଭୁଙ୍କର ଅପର କରୁଣା ରୁ ହିଁ ସମ୍ଭବ ହୋଇଥାଏ।  ମୁଁ ସେ ଦୁଇ ଜଣଙ୍କୁ ଅଶେଷ ଧନ୍ୟବାଦ୍,କୃତଜ୍ଞତା ଏବଂ ପ୍ରଣାମ ଜଣାଉଛି , କାରଣ ସେମାନେ ମୋର ବିରୋଧ ନ କରି ଥିଲେ  ମୁଁ ମୋ ପ୍ରଭୁଙ୍କର ଏତେ ନିକଟତର ହୋଇ ପାରି ନ ଥାଆନ୍ତି।

ଅଜୟ ସାମଲ, ପୁନେ

Visit us http://www.jagannathdhampune.in

Leave a comment

Your email address will not be published. Required fields are marked *